ସମ୍ପର୍କ ଆଉ ଅସହାୟ ର ଦୁଇ ଟୋପା ଲୁହ

ଓଡିଶା Exclusive / ସ୍ୱତନ୍ତ୍ର ଉପସ୍ଥାପନା :ଗୋପାଳ ଚନ୍ଦ୍ର/ ସମ୍ପାଦକ)
ନୂଆ ନୂଆ ବୋହୁ ହେବାକୁ ସଜବାଜ ହେଉଥିବା ଗହଳି ଭିତରୁ ନିରୀହ ଆଖି ଦୁଇଟି ବାରମ୍ବାର ଅନ୍ୟ ମନସ୍କ ହେଉଥିଲା ,ସତେ ଯେଭଳି କାହାକୁ ଖୋଜୁଥିଲା ,ନିଜକୁ ଯେତେ ଖୁସି ଅଛି ବୋଲି ଦେଖାଇ ହେଉଥିଲେ ମଧ୍ୟ ଭିତର କୋହ ଆଉ ଭୟ ସ୍ପଷ୍ଟ ଭାବରେ ବାରି ହେଇପଡୁଥିଲା I କିଏ ସେ ଆପଣାର ଯାହା ପାଇଁ ହୃଦୟ ର ସ୍ପନ୍ଦନ ଟା ତୀବ୍ର ବେଗରେ ଧକ ଧକ ହେଉଛି ? କୁଟା ଖିଅ ରେ ନୂଆ ବସା ବାନ୍ଧିବାକୁ ,ସାତ ଜନମ କୁ ଏକା ସାଙ୍ଗରେ ଚାଲିବାକୁ ସ୍ବପ୍ନ ଦେଖି ଅଚିନ୍ହା ହାତ ଧରି ଚାଲି ଆସିଥିବା ଜଣେ ବାଇ ଚଡେଇ ର କଥା I କୁହାଯାଏ ପ୍ରେମ କେତେବେଳେ କାହାକୁ ହେଇଯାଏ ,କେମିତି ହେଇଯାଏ ଜଣାନଥାଏ I ପ୍ରେମ ପରା ଅନ୍ଧ ,ଥରେ ହୃଦୟ ମନ୍ଦିରେ ପ୍ରେମର ସଳିତା ରେ ଦୀପ ଜଳି ଉଠିଲେ ପ୍ରେମର ସ୍ପର୍ଶ ପାଇଁ ବ୍ୟାକୁଳିତ ହୋଇଉଠେ ହୃଦୟ ପକ୍ଷୀ I ସେମିତି ନୂଆ ନୂଆ ପ୍ରେମରେ ପଡ଼ିଯାଇଥିବା ବାଇ ଚଡେଇ ଟି ଗହନ ସପନ ରେ ବୁଡିଯାଇଥିବା ବେଳେ ଡର ଲାଗୁଥାଏ ଅଦିନିଆ ବତାସ କୁ ,ନୀଡ ଗଢିବା ପୂର୍ବରୁ ଭାଙ୍ଗିଯିବନି ତ ? ଅଦିନିଆ ଝଡ଼ ଟା ସପନର ମହଲ କୁ ଉଡାଇ ନେବନି ତ ? ଏମିତି ଅନେକ ଦୁଃ-ସପନ ର ଭୟରେ ଥରି ଉଠୁଥାଏ ପକ୍ଷୀ ଟି ,ଚେଷ୍ଟା କରି ମଧ୍ୟ ସାହସ କରିପାରୁନଥିଲା ନିଜେ ବାଛିଥିବା ଜୀବନ ସାଥି କୁ ନେଇ ଦେଖିଥିବା ସପନ କୁ ସମସ୍ତଙ୍କ ସାମ୍ନା ରେ କହିବାକୁ ,ପିଲାଦିନେ କିଛି ଆବଶ୍ୟକ ପଡିଲେ ବାପା ମା ପାଖରେ ଅଳି କରୁଥିବା ଝିଅଟି ଆଜି ଜୀବନ ସଉଦା ମାଗିବାକୁ ଭୟ କରୁଛି ,ଅଜଣା ଭୟ ବେଶୀ ଡରଉଛି ଯେପରି ,ଲାଗୁଥିଲା ପାଇବାଠୁ ହରେଇଦେବିନି ତ ! ଶେଷରେ ଫୁର କିନା ଉଡ଼ିଗଲା ନିଜ ସପନର ପଥେ ପଥେ ,ସମସ୍ତେ କହୁଥିଲେ କେତେ ସୁନ୍ଦର କାମ ଟିଏ କଲା ସତେ,ବାପା ମା ଏତେବର୍ଷ ପାଳିଲେ ଶେଷରେ ତାଙ୍କୁ ପାଦରେ ଆଡେଇ ସେମାନଙ୍କ ମୁଁହରେ କଳାକନା ବୁଲେଇ ଚାଲିଗଲା ,କିନ୍ତୁ କେଜାଣି କେହି ଜଣେ ବି ତା ହୃଦୟ ର କଥା ବୁଝିବାକୁ ଚେଷ୍ଟା କରୁନଥିଲେ ,ଏତେ ଭଲ ପାଉଥିବା ବାପା ମା କାହିଁକି ନିଜ ପିଲା ର ଖୁସି ଚିନ୍ହିପାରୁନଥିଲେ ! ଛୋଟବେଳେ ଭୋକ ଲାଗିଲେ କହିବା ଆଗରୁ ମା ଜାଣିପାରୁଥିଲା ଆଜି କିନ୍ତୁ ଜୀବନ ଚଲାପଥରେ ସତେ ଯେମିତି ସମସ୍ତେ ନିଜେ ବାଛିଥିବା ରାସ୍ତାରେ ଯିବାକୁ ବାଧ୍ୟ କରୁଛନ୍ତି,କେହି ବି ଥରେ ମନର କଥା ବୁଝିବାକୁ ଚେଷ୍ଟା କରୁନାହାନ୍ତି I ଏସବୁ ଭିତରେ କେତେବେଳେ ମନର ମଣିଷ ସାଙ୍ଗରେ ହାତଗଣ୍ଠି ପଡିଯାଇଥିଲା ନିଜେ ବି ସେ ଜାଣିପାରିନଥିଲା ,ନୂଆ ଏକ ଜୀବନ ଆରମ୍ଭ ପୂର୍ବରୁ ସମସ୍ତଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିବା ବେଳେ ହଠାତ କାହା ସ୍ପର୍ଶ ରେ ହୃଦୟ ରେ ଯେମିତି ଚାପା ଗୁଞ୍ଜରଣ ସୃଷ୍ଟି ହେଇସାରିଥିଲା , କାହାଣୀର ଲେଖକ ରୁ କେବେ ଏ କାହାଣୀ ର ଅଂଶ ହେଇଗଲି ଜଣାନଥିଲା I ତା ଛଳ ଛଳ ଆଖିରେ ଜକେଇ ଆସିଥିବା ଲୁହକୁ ପୋଛିଦେବାକୁ ଅଜାଣତରେ ମୋ ହାତ ଚାଲିଗଲା ତା ଆଖିପାଖକୁ ଗୋଟେ ବଡ ଭାଇ ର କର୍ତବ୍ୟ ଭାବେ, କେଜାଣି ଅଜାଣତରେ ଆଖିରୁ ଦୁଇଟୋପା ଲୁହ ବହିଗଲା କେତେବେଳେ ଜଣାନଥିଲା, କେହି ଦେଖିବା ଆଗରୁ ଚେଷ୍ଟା କରୁଥିଲି ରୁମାଲ ରେ ତରବର ରେ ପୋଛି ନେବାକୁ I ପ୍ରଥମଥର ପାଇଁ ଜଣେ ଅପରିଚିତ ପାଇଁ କାହିଁକି ଏ ଆଖିରେ ଲୁହ ଭରିଗଲା ଜଣାନଥିଲା, କିନ୍ତୁ ସତେ ଯେମିତି ସେ ଲୁହ ରେ ଭରି ରହିଥିଲା ଅନେକ ଦରଦ ଆଉ ଲୁଚେଇବାକୁ ଚେଷ୍ଟା କରୁଥିବା ଅସୀମିତ କୋହ ,ଅନୁଭବ କରିପାରୁଥିଲି ସେ ଲୁହ ରେ ଥିବା ଦରଦ ଆଉ ଭରି ରହିଥିବା କୋହ କୁ ,ସତେ ଯେମିତି ତା ହୃଦୟ କହୁଥିଲା କିଛି ସମୟ ପାଇଁ ଭୋ ଭୋ କାନ୍ଦିବାକୁ ଗୋଟେ ଗୋଟେ ମା ଆଉ ଭାଇ ପାଖରେ କିନ୍ତୁ କୋଉ କାନ୍ଦିହେଉଛି ଯେ ସମାଜ କୁ ଡ଼ରିକି ! ଏଇ ସମାଜ ଯିଏ ନିଜର ଫମ୍ପା ଆତ୍ମ ସ୍ୱାଭିମାନ ଆଗରେ ସମ୍ପର୍କ କୁ ବଳି ପକାଇ ନିଜ ହାତକୁ ଲାଲ ଟହଟହ ରକ୍ତ ରେ ରଂଜିତ କରିବାକୁ ପଛାଏ ନାହିଁ I ଇଛା ହେଉଥିଲା ନିଜର ବୋଲି ଡିଣ୍ଡିମ ପିଟୁଥିବା ସେହି ଆତ୍ମୀୟ ମାନଙ୍କୁ ବଡ଼ପାଟିରେ ବହେ ଗାଳିଦେବାକୁ କିନ୍ତୁ ପାଖରୁ ଶୁଭୁଥିଲା ଭାଇ ବାହାଘର ସରିଗଲା ଚାଲ ଘରକୁ ଯିବା !!!

Leave a Reply

Your email address will not be published. Required fields are marked *