ଆଜି ଆର୍ଥ ଆୱାର ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ବର୍ତ୍ତମାନ ପୃଥିବୀ ଏକ ସଙ୍କଟ ପରିସ୍ଥିତି ଦେଇ ଅଣାୟତ୍ତ ଭାବରେ ଆଗକୁ ଚାଲୁଛି ।କରୋନାର କରାଳ ଗ୍ରସରେ ଆଜି ପ୍ରତ୍ୟେକ ମୂହୁର୍ତ୍ତ ଆଶା ଓ ଆଶଙ୍କାରେ ବିତୁଛି ।ସମଗ୍ର ବିଶ୍ୱବାସୀ ସତର୍କତା ମୂଳକ ପ୍ରତିଷେଧକ ବ୍ୟବସ୍ଥାକୁ ଆପଣେଇ ନିଜ ନିଜ ଗୃହ ଭିତରେ ବନ୍ଦ ଜୀବନ ବିତାଉଛନ୍ତି । ଫଳରେ କଳକାରଖାନା, ଯାନବାହାନ, ନିୟମିତ ଭାବେ ଉଡ଼ାଣ କରୁଥିବା ବିମାନ, ରେଳସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି । ତେଣୁ ପୃଥିବୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଗୋଟିଏ ବୃହତ୍ତମ ବ୍ୟବସ୍ଥାର ସୁଯୋଗ ଆସିଛି ।
ବର୍ତ୍ତମାନ ସମଗ୍ର ବିଶ୍ୱବାସୀ “ଲକଡାଉନ” ସ୍ଥିତିରେ ଥିବାରୁ ବିଦ୍ୟୁତ ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇବା ସହିତ ବିଦ୍ୟୁତର ଚାହିଦା ମଧ୍ୟ ବଢ଼ିଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସର ୨୯ ତାରିଖ ଦିନ ” ଆର୍ଥ ଆୱାର ୨୦୨୦ ” ପାଳନ କରାଯିବ ।ଆଜିର ଦିନରେ ଅର୍ଥାତ୍ ୨୯ – ୦୩ -୨୦ ତାରିଖ ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଟିଭି, କମ୍ପ୍ୟୁଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା।କାରଣ ଆମେ ଯେଉଁ ଗ୍ରହରେ ବସବାସ କରୁଛୁ ତା’ପ୍ରତି ମଧ୍ୟ ଆମର ପ୍ରତିବଦ୍ଧତା ଦେଖାଇବା ଆବଶ୍ୟକତା ରହିଛି ।ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ। ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ସମସ୍ତ ବ୍ୟକ୍ତିବିଶେଷ, ସମସ୍ତ ସମ୍ପ୍ରଦାୟ, ଏହାକୁ ପାଳନ କରିବା ଉଚିତ । ଏହି “ଗୋଟିଏ ଘଣ୍ଟା ” ଏକ ବିରାଟ ବଡ଼ ପାର୍ଥକ୍ୟ ସୃଷ୍ଟି କରିବ । ବିଶ୍ଵ ଜଳବାୟୁ ଅସ୍ବାଭାବିକ ପରିବର୍ତ୍ତନ ଉପରେ ରୋକିବା ପାଇଁ ସହାୟକ ହୋଇପାରିବ । କିପରି ଏହା ସମ୍ଭବ ହେବ ଆସନ୍ତୁ ଜାଣିବା । ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ କେତେବେଳେ ଏ ମୁଣ୍ଡରେ ତ କେତେବେଳେ ସେ ମୁଣ୍ଡରେ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ହିମାଳୟ ପର୍ବତମାଳାରେ ଥିବା ବରଫାବୃତ ଅଞ୍ଚଳ କ୍ରମେ କ୍ରମେ ଦ୍ରୁତ ଗତିରେ ତରଳିଯାଉଛି । ଜଳବାୟୁର ଏହି କ୍ରମାଗତ ଅସ୍ବାଭାବିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ଠାରେ ୨୨ ଲକ୍ଷ ଲୋକ ୧ ଘଣ୍ଟା ପାଇଁ ସାଙ୍କେତିକ ଭାବରେ “ଲାଇଟ୍ ଆଉଟ୍” ଇଭେଣ୍ଟ ସ୍ଵରୁପ “ଲାଇଟକୁ ଅଫ୍” କରି ଆର୍ଥ ଆୱାର ପ୍ରଥମ ଥର ପାଳନ କରିଥିଲେ। ତା’ପର ବର୍ଷ ୩୫ ଦେଶର ୫ କୋଟି ଲୋକ ଏହାକୁ ପାଳନ କଲେ। ଏହା କ୍ରମଶଃ ପୃଥିବୀବାସୀଙ୍କ ଦ୍ୱାରା ଅହେତୁକ ଆଦୃତ ହୋଇପାରିବା ସହିତ ବର୍ତ୍ତମାନ ୧୮୭ ଦେଶର ୭୦୦୦ ସହର ଗତବର୍ଷ ଆର୍ଥ ଆୱାର ପାଳନ କରାଯାଇଥିଲା । ଆର୍ଥ ଆୱାର ପାଳନ କରିବା ପାଇଁ ଯେଉଁ ସଙ୍ଗଠନ ପରିକଳ୍ପନା କରିଥିଲା ତାହାର ନାମ ହେଲା ” WORLD WIDE FUND FOR NATURE ” ( WWF ). The symbol of commitment to the planet – ର ସ୍ବର୍ଗୀୟ ଭାବନା ନେଇ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।  ଏଣୁ, ଆସନ୍ତୁ ପୃଥିବୀ ପାଇଁ ଗୋଟିଏ ଘଣ୍ଟା ର ସ୍ଲୋଗାନ ଦେଇ ବୈଦୁତିକ ଉପକରଣର ବ୍ୟବହାର ବନ୍ଦ ରଖିବା। ଆଲୋକର ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍ୟ ପନ୍ଥା ଅବଲମ୍ବନ କରିବା। ପୃଥିବୀକୁ ବଞ୍ଚାଇବା ସହିତ ନିଜେ ମଧ୍ୟ ବଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିବା। ଆଗାମୀ ପିଢ଼ି ପାଇଁ କିଛି ସଂରକ୍ଷିତ କରି ରଖିବାକୁ ଉଦ୍ୟମ କରିବା ସହିତ ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସକୁ ସୁଦୃଢ଼ କରି ଗଢି ତୋଳିବା। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହାକୁ ବହୁଳ ମାତ୍ରାରେ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରିବାର ମଧ୍ୟ ଆବଶ୍ୟକତା ରହିଛି। ସାମାଜିକ ଗଣମାଧ୍ୟମର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବେ ବସନ୍ତ ଋତୁର ଚାଲିଥିବା ହେତୁ ପ୍ରକୃତିର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ବୃକ୍ଷ ଗୁଡ଼ିକରେ ନୂତନ ପତ୍ରର ଆବିର୍ଭାବ ଯୋଗୁଁ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ପାଇ ଅମ୍ଳଜାନ ବୃଦ୍ଧି ଘଟିବାର ସମ୍ଭାବନା ବଢ଼ିଯାଇଛି । ତେବେ, ଆସନ୍ତୁ ଏହି ଅଭିଯାନରେ ସାମିଲ ହୋଇ “ଆର୍ଥ ଆୱାର” ପାଳନର ସ୍ୱପ୍ନକୁ ପୂରଣ କରିବା ସହିତ ସାହିପଡିଶା, ବନ୍ଧୁବାନ୍ଧବ, ସାଙ୍ଗସାଥି ସମସ୍ତଙ୍କୁ ଉତ୍ସାହିତ କରିବା। ଆପଣଙ୍କ ଏ ମୂଲ୍ୟବାନ ଅବଦାନ ଅଗଣିତ ଅସଂଖ୍ୟ ପୃଥିବୀର ସଚରାଚର ପ୍ରାଣି ଉପକୃତ ହୋଇପାରିବେ ଏଥିରେ ସନ୍ଦେହ ନାହିଁ । ଉପସ୍ଥାପନା – ଦିଲ୍ଲୀପ କୁମାର ସାହୁ, ସାଉଥକୋ ୟୁଟିଲିଟି, ଦାରିଙ୍ଗବାଡ଼ି

Leave a Reply

Your email address will not be published. Required fields are marked *