​ଥମୁନି ଦୁଷ୍କର୍ମ:ପ୍ରତିବାଦ ନାଁ’ରେ ପ୍ରହସନ? ସମବେଦନା କି ସମାଧାନ ନୁହେଁ ନିଜ ସମ୍ଭାବନା ଦେଖୁଛନ୍ତି ରାଜନୈତିକ ଦଳ

ଭୁବନେଶ୍ୱର(ଦେବଦତ୍ତ ରଥ):
ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଛି।ଏହାକୁ ନେଇ ଆନ୍ଦୋଳନ,ବିକ୍ଷୋଭ,କ୍ୟାଣ୍ଡେଲ ଯାତ୍ରା,ଦୀପଦାନ ସବୁ କିଛି କରାଯାଉଛି।ଆରୋପ ପ୍ରତ୍ୟାରୋପ ହେଉଛି କିଛି ଦିନ ପରେ ଘଟଣା ଚପି ଯାଉଛି ଏବଂ ସତେ ଯେପରି ପୁଣି ଅପେକ୍ଷା ରହୁଛି ଆଉ ଏକ ଦୁଷ୍କର୍ମ ଘଟଣାକୁ।

  କୁନ୍ଦୁଲି ଦୁଷ୍କର୍ମ ଘଟଣାକୁ ନେଇ ବହୁ ହୋ ହାଲା ହେଲା।କିନ୍ତୁ ନ୍ୟାୟ ନପାଇ ପିଡ଼ୀତା ଆତ୍ମହତ୍ୟା କଲା।ଏହାପରେ କୋକେଇ ଶୋଭାଯାତ୍ରା ଠାରୁ ଦୀପଦାନ ସବୁ ହେଲା।କିନ୍ତୁ ଫଳାଫଳ କ’ଣ ମିଳିଲା?ବିଜେପି  କୁନ୍ଦୁଲି ଘଟଣାକୁ ନେଇ ବେଶୀ ଆନ୍ଦୋଳନ କରୁଥିଲା।ସିବିଆଇ ତଦନ୍ତ ଦାବି କରୁଥିଲା।ପରେ ସେ ଘଟଣା ପୁରୁଣା ହୋଇଗଲା।ପୁଣି ଆଉ ଏକ ନୂଆ ଇସୁ ଆବଶ୍ୟକ ପଡ଼ିଲା।ଏବଂ ପୁଣି ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା ଘଟିଲା ଏବଂ ଏ ନେଇ ପୁଣି ଦୀପ ଜାଳିଲା ବିଜେପି ମହିଳା ମୋର୍ଚ୍ଚା।କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଇତିଶ୍ରୀ କଥାରେ କ’ଣ କହିବ?ଇତିଶ୍ରୀ ଘଟଣା ତ’ ସିବିଆଇ ହାତକୁ ଗଲା,ଏବଂ ସିବିଆଇ କୁଆଡେ କେସ ବନ୍ଦ କରିଦେଲା?ଅଞ୍ଜନା ଘଟଣା କ’ଣ ହେଲା?ଛବିରାଣୀ ହତ୍ୟାକାଣ୍ଡ ଘଟଣା କ’ଣ ହେଇଥିଲା?ଶେଷରେ “ଛବିରାଣୀ ହତ୍ୟାକାଣ୍ଡ” ନାମରେ ଏକ ଯାତ୍ରା ପ୍ରସ୍ତୁତ ହୋଇ ମନୋରଂଜନ ଏବଂ ବ୍ୟବସାୟର ମାଧ୍ୟମ ହୋଇ ରହିଗଲା।କୋଉଠି ପିଡ଼ୀତା ନ୍ୟାୟ ପାଇଲା?କୋଉଠି ଦୋଷୀ ଦଣ୍ଡ ପାଇଲା?

  ଓଡ଼ିଶାରେ ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଥିବା ବେଳେ ଏନେଇ ମୌନ ପ୍ରାୟ ରହୁଥିବା ବେଳେ ଉତ୍ତରପ୍ରଦେଶ ଉନାଉ ଘଟଣାରେ କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା କଲା।ଜାମ୍ମୁକାଶ୍ମୀର ଆସିଫା ଘଟଣାରେ ବିଜେଡି କ୍ୟାଣ୍ଡେଲ ଶୋଭାଯାତ୍ରା କଲା।କୁନ୍ଦୁଲି,ସାଲେପୁର ଘଟଣାରେ ବିଜେପି ଦୀପ ଜାଳିଲା।ଯେଉଁ ସ୍ଥାନରେ ଯେଉଁ ଦଳ ସରକାରରେ ନାହିଁ ସେ ହିଁ ଆନ୍ଦୋଳନ କଲା।ଅର୍ଥାତ୍ ଏ ଆନ୍ଦୋଳନ ପିଡ଼ୀତା ପାଇଁ ନୁହେଁ।ଏ ଆନ୍ଦୋଳନ ଅପରାଧ ବିରୋଧରେ ନୁହଁ।ଏ ବିରୋଧ କେବଳ ବିରୋଧୀ ଦଳ ବିରୋଧରେ ଏବଂ ନିଜ ରାଜନୈତିକ ଉଦ୍ଦେଶ୍ୟ ପାଇଁ।

  ଜଣେ ନାରୀ ପ୍ରତି ଦୁଷ୍କର୍ମ ହେଉଛି।ଏବଂ ରାଜନୈତିକ ଦଳର ମହିଳା ବିଭାଗ ଏ ନେଇ ଆନ୍ଦୋଳନ କରୁଛି।କିନ୍ତୁ କାହା ପାଇଁ?ନାରୀ ପାଇଁ ନାଁ ଦଳ ପାଇଁ?କ’ଣ ଏପରି ଘଟଣାରେ ଦଳମତ ଭୁଲି ସମସ୍ତେ ଏକ ହୋଇ ପ୍ରତିବାଦ କରିବା ଉଚିତ ନୁହେଁ?ଯେଉଁ ଦିନ ଏପରି ହେବ! ହୁଏତ ଏପରି ଘଟଣାକୁ ହ୍ରାସ କରା ଯାଇ ପାରିବ।

  କିନ୍ତୁ ଏ ରାଜନୈତିକ ଦଳ ଗୁଡିକ ଠାରୁ ଏପରି ଆଶା କରିବା ବୃଥା।ଏହିପରି ଏକ ଘଟଣା ଯାହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ତାହା ହେଲା ଦିଲ୍ଲୀର ନିର୍ଭୟା କାଣ୍ଡ।ଖୁବ୍ ବଡ଼ ଆନ୍ଦୋଳନ ହେଲା।ଏବଂ ଶେଷରେ ଏହାର ପରିଣାମ ବାହାରିଲା କେଜରିବାଲ।କେଜରିବାଲ ସେ ଆନ୍ଦୋଳନର ନେତୃତ୍ୱ ନେଲେ,ଚର୍ଚ୍ଚିତ ହେଲେ ଏବଂ ମୁଖ୍ୟମନ୍ତ୍ରୀ ହେଲେ।ତା’ ପରେ କ’ଣ ଦିଲ୍ଲୀରେ ଦୁଷ୍କର୍ମ ଥମିଗଲା?ତେଣୁ ଏହି ରାଜନୈତିକ ଦଳ ମାନଙ୍କ ଠାରୁ ଏପରି ଆଶା କରିବା ବୃଥା।କାଷ୍ଟିଂ କାଉଚକୁ ନେଇ ଏବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ମନ୍ତବ୍ୟକୁ ଦେଖନ୍ତୁ।ସେ ନିଜେ କହିଛନ୍ତି ଏପରି ରାଜନୀତିରେ କୁଆଡେ ହୁଏ?

   କୁହାଯାଏ ଏମିତିରେ ତ’ ଜଣଙ୍କର ଦିନେ ନାଁ ଦିନେ ମୃତ୍ୟୁ ହୁଏ,କିନ୍ତୁ ଦୁଷ୍କର୍ମ ପିଡ଼ୀତା ପ୍ରତ୍ୟକ ଦିନ ତିଳ ତିଳ ହୋଇ ମରେ।ସମାଜରେ ଚଳିବା ତା’ପାଇଁ ଅସମ୍ଭବ ପ୍ରାୟ ହୋଇପଡେ।ସତେ ଯେପରି ସେ ନିଜେ କିଛି ଅପରାଧ କରିଥିଲା।ବିନା ଦୋଷରେ ପିଡ଼ୀତାର ପରିବାରକୁ ମଧ୍ୟ ସମାଜର ଲାଞ୍ଚନା ଭିତରେ ବଞ୍ଚିବାକୁ ପଡ଼େ।

   ଦୁଷ୍କର୍ମ କରୁଥିବା ବ୍ୟକ୍ତି ଯେ ଅସାମାଜିକ ନିଶ୍ଚିତ,କିନ୍ତୁ ସାମୁହିକ ଦୁଷ୍କର୍ମ, ଦୁଷ୍କର୍ମ ପରେ ହତ୍ୟା ଏବଂ ସବୁଠାରୁ ବଡ଼ କଥା ଏ ବିଷୟରେ କିଛି ଜାଣି ନଥିବା,ନିଜ ଶରୀରର ଅଙ୍ଗ ଗୁଡ଼ିକ ବାବଦରେ ଠିକରେ ଧାରଣା ନଥିବା କୋମଳମତି ଶିଶୁ ପ୍ରତି ଦୁଷ୍କର୍ମ କରୁଥିବା ବ୍ୟକ୍ତି ଯେ ଜଣେ ରାକ୍ଷସ।ଏବଂ ଏପରି ରାକ୍ଷସ ମାନଙ୍କ କବଳରୁ ଅନେକ ସମୟରେ ଦିବ୍ୟାଙ୍ଗ ମାନେ ମଧ୍ୟ ବାଦ ପଡ଼ନ୍ତି ନାହିଁ।

  ଦୁଷ୍କର୍ମ କାହିଁକି ହେଉଛି ଏହାକୁ କିପରି ରୋକାଯାଇ ପାରିବ,ବୋଧେ ସେଥିପାଇଁ ସେପରି କିଛି କରାଯାଉ ନାହିଁ।ଏବେ ନାବାଳିକା ଶିଶୁଙ୍କୁ ଦୁଷ୍କର୍ମ ପାଇଁ ମୃତ୍ୟଦଣ୍ଡ,କିଛି କ୍ଷେତ୍ରରେ ଜେଲ ଦଣ୍ଡ ବୃଦ୍ଧି ଆଦି ପରି ଶକ୍ତ ଆଇନ ଆସିଛି।କିନ୍ତୁ ସିଆଡେ ଏ ଶକ୍ତ ଆଇନ ଲାଗୁ ହେଲା ବେଳେ ଏଣେ ଦୁଷ୍କର୍ମ ମଧ୍ୟ ଚାଲିଛି।

   ଆମ ଚଳଚିତ୍ର ଗୁଡିକରେ ପାଶ୍ଚାତ ସଂସ୍କୃତି ପ୍ରଭାବରେ ଦିନକୁ ଦିନ କାମଉଦ୍ଦିପକ ଦୃଶ୍ୟ ଭରି ହେବାରେ ଲାଗିଛି।ଟିଭିରେ ଦେଉଥିବା କ୍ରାଇମ ପେଟ୍ରୋଲ ପରି ଷ୍ଟୋରୀରେ ସିନା ଉପସ୍ଥାପକ ଏପରି ଘଟଣାରୁ ସତର୍କ ରହିବାକୁ ପିଲାଙ୍କୁ ତଥା ପରିବାରକୁ ପରାମର୍ଶ ଦେଉଛି।କିନ୍ତୁ ଅନେକ ସମୟରେ ଏହି କ୍ରାଇମ ଷ୍ଟୋରୀ ସିରିଏଲରୁ କ୍ରାଇମ କରିବାର କୌଶଳ ଅପରାଧୀ ଶିଖିବାକୁ ପାଉଛି।ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୈଧାନିକ ଚେତାବନୀ ଦେଇ ସରକାର ମଦ ବିକ୍ରି କରିଲା ପରି କ୍ରାଇମ ପେଟ୍ରୋଲ ପରି ସିରିଏଲ କ୍ରାଇମ ରୋକିବା ପାଇଁ ସିନା ସତର୍କ କରାଉଛି,କିନ୍ତୁ କାହାକୁ ଯେ ଏହା କ୍ରାଇମ କରିବାର ବାଟ ବତାଉଛି।ନାବାଳିକାର ବିବାହ କରିବା ଦଣ୍ଡନୀୟ ଅପରାଧ କିନ୍ତୁ “ନବମ ଶ୍ରେଣୀ ଝିଅଟି ଛାତିକୁ ମୋ ହଟ କରୁଛି” ଭଳି ଗୀତକୁ ସେନ୍ସର ବୋର୍ଡ ସ୍ୱୀକୃତି ଦେଉଛି।ଏବଂ ଅର୍ଧ ନଗ୍ନ ପୋଷାକରେ ଟିଭି ପରଦାରେ ସବୁବେଳେ ଦେଖା ଯାଉଥିବା କରିନା,ସୋନମ କାପୁର ପରି ଅଭିନେତ୍ରୀ ଦୁଷ୍କର୍ମ ଘଟଣା ପ୍ରତିବାଦରେ ପୋଷ୍ଟ କରି ସେୟାର କରୁଛନ୍ତି।ଏଥିପାଇଁ ସମାଲୋଚିତ ମଧ୍ୟ ହେଉଛନ୍ତି। ଟିଭିରେ ଦେଉଥିବା ଚଳଚିତ୍ର,ଧାରାବାହିକ କଥା ଛାଡ଼ନ୍ତୁ ନିଉଜ ଚ୍ୟାନେଲ ଗୁଡିକରେ ନିଉଜ ମଧ୍ୟରେ ବ୍ରେକ ସମୟରେ ମଧ୍ୟ ସେହିପରି କିଛି ବିଜ୍ଞାପନ ପ୍ରସାରିତ ହେଉଛି।ଏପରି ବେଳେବେଳେ ହେଉଛି ଏନେଇ କିଛି ଜାଣି ନଥିବା ଶିଶୁ ଏହା କ’ଣ ବୋଲି ପରିବାର ଭିତରେ ପ୍ରଶ୍ନ ପଚାରି ବସୁଛି।ଟିଭି ତ’ ଟିଭି ସେଥିରେ ଏବେ ପୁଣି ମୋବାଇଲ,ହାଇସ୍ପୀଡ଼ ଇଣ୍ଟରନେଟ ସହିତ।ଟିଭିରେ ସିନା ଚ୍ୟାନେଲ ଚେଞ୍ଜ କଲେ କିଏ ଜାଣିବେ,କିନ୍ତୁ ମୋବାଇଲରେ ଯାହା ପାରିଲା ତାହା ଦେଖି ପାରିଲା।କେହି ଜାଣିବାର ନାହିଁ।

    ସରକାରୀ ହିସାବରେ ପୁଲିସ ଫାଇଲରେ ହେଉ ବା ଗଣମାଧ୍ୟମରେ ପ୍ରକାଶିତ/ପ୍ରସାରିତ ହେଉ ଦୁଷ୍କର୍ମ ଘଟଣା ନେଇ ଯେତେ ଘଟଣା ଜଣା ପଡ଼ୁଛି ବାସ୍ତବରେ ତା’ଠାରୁ ଯଥେଷ୍ଟ ଅଧିକ ଏହିପରି ଘଟଣା ମାନ ଘଟୁଛି।ଦୁଷ୍କର୍ମ ପରେ ହତ୍ୟା କିମ୍ବା ଅତି ଜଘନ୍ୟ କାଣ୍ଡ ସିନା ଲୋକ ଲୋଚନକୁ ଆସୁଛି, କିନ୍ତୁ ଅନେକ ସମୟରେ ପିଡ଼ୀତା ଭୟରେ କିମ୍ବା ଲୋକ ଲଜ୍ଜାରେ ଏପରି ଘଟଣାକୁ ପ୍ରକାଶ କରି ପାରୁନି।ଯଦି ବି ପ୍ରକାଶ କରୁଛି ଅନେକ ସମୟରେ ପରିବାର ପକ୍ଷରୁ ନିରବ ରହୁଛନ୍ତି।ଯଦି ବି ପିଡ଼ୀତା/ପରିବାର ପକ୍ଷରୁ ଅଭିଯୋଗ କରିବାକୁ ଚେଷ୍ଟା କରାଯାଉଛି ତେବେ ଅନେକ ସମୟରେ ଗାଁ କୁଜି ନେତା,ଜନ ପ୍ରତିନିଧି,ପୁଲିସ ଏହାର ଆପୋଷ ବୁଝାବଣା କରାଉଛନ୍ତି।ପିଡ଼ୀତା ପରିବାରକୁ ଧମକ ଚମକ ଦିଆ ଯାଉଛି କିମ୍ବା କ୍ଷତି ପୂରଣ ଦିଆ ଯାଉଛି।ଏବଂ ଆଶ୍ଚର୍ଯ୍ୟର କଥା ଅନେକ ସମୟରେ ପରିବାର ଲୋକ ଏପରି କ୍ଷତି ପୂରଣ ଗ୍ରହଣ କରି ଚୁପ ରହୁଛନ୍ତି।ଦୁଷ୍କର୍ମ ଘଟଣାର ଆପୋଷ ବୁଝାବଣା କେହି କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ତାର ଉଲଘଂନ ହେଉଛି।

ଦୁଷ୍କର୍ମ ପରି ଘଟଣା ସଭ୍ୟ ସମାଜ ପ୍ରତି ଏକ କଳଙ୍କ।ଦୁଷ୍କର୍ମ କୌଣସି ଦଳର ଲୋକ,କୌଣସି ଜାତିର ଲୋକ କରି ନଥାଏ।ଦୁଷ୍କର୍ମ ପରି ଘଟଣା କରିଥାଏ କେବଳ ଜଣେ ବିକୃତ ମାନସିକ ଧାରୀ।ତଥ୍ୟ ଅନୁଯାୟୀ ଅନେକ ଦୁଷ୍କର୍ମ ଘଟଣା ପରିବାର,ସଂପର୍କୀୟ,ପରିଚିତ ଲୋକଙ୍କ ଦ୍ୱାରା ହୋଇଥାଏ।ଏବଂ ସେ କେବଳ ଜଣେ ବିକୃତ ମାନସିକ ଧାରୀ ରାକ୍ଷସ।ସମାଜର ଶତୃ।ଦଳ,ମତ,ପନ୍ଥ,ଜାତି ନିର୍ବିଶେଷରେ ସାମୁହିକ ଭାବରେ ଏପରି ଆସୁରିକ ଆଚରଣର ବିରୋଧ କରିବା ଉଚିତ

Leave a Reply

Your email address will not be published. Required fields are marked *