ମୋ ସ୍ମାର୍ଟ ସିଟି ସହର କୁ ଗାଁ ଧସେଇକି ଫେରିଛି ii ଭୁବନେଶ୍ୱର ବନ୍ୟାରେ ଭାସିଲା ,ପୁରୀ ବଡ଼ଦାଣ୍ଡରେ ମିନ ଖେଳିଲେ ତେବେ କଣ ମାଳିକା ବଚନ ସତ ହୋଇବ ??

ଉପସ୍ଥାପନା ଗୋପାଳ ଚନ୍ଦ୍ର:-
ସକାଳୁ ଘର ଦ୍ୱାର ଖୋଲୁ ଖୋଲୁ ସ୍ୱାଇଁ ବାବୁ ଙ୍କ ଘର ସାମ୍ନାରେ ଅଣ୍ଟାଏ ପାଣି I ଚମକିପଡ଼ିଲେ ସ୍ୱାଇଁ ବାବୁ ସ୍ବପ୍ନ ଦେଖୁଛନ୍ତି ନା କଣ ? ଦେହକୁ ଟିକିଏ ଚୁମୁଟିଦେଲେ ନାଇତ ,ଏଇଟା ସ୍ବପ୍ନ ନୁହେଁ ସତକୁ ସତ ସେ ତାଙ୍କ ଘର ସାମ୍ନାରେ ପାଣି ଦେଖୁଛନ୍ତି I ଧୀରେ ଧୀରେ ସ୍ୱାଇଁ ବାବୁଙ୍କ ଘରେ ପାଣିର ସୁଅ ପଶିବାକୁ ଲାଗିଲା ,ଘରେ ଏକପ୍ରକାର ବନ୍ୟାର ପରିସ୍ଥିତି ,ଚତୁର୍ଦିଗ କୁ ଅନାଇଲେ ସ୍ୱାଇଁ ବାବୁ ,ଘର ପାଖ ଦାସ ବାବୁ ,ବାରିକ ବାବୁ ,ପଟନାୟକ ବାବୁ ସମସ୍ତଙ୍କ ଘରେ ସମ ଦଶା I ନିଜକୁ ବିଶ୍ୱାସ କରିପାରୁନଥିଲେ ସ୍ୱାଇଁ ବାବୁ I ରାଜଧାନୀ ରେ ବନ୍ୟା ??ସଙ୍ଗେ ସଙ୍ଗେ ଦଉଡ଼ିଗଲେ ଟିଭି ର ରିମୋଟ ଟା ନେଇକି ଟିଭି ଲଗାଇବାକୁ ହେଲେ କରେଣ୍ଟ କଣ ଅଛି ?କାଲି ରାତିରୁ ଯାଇଛି ଯେ ଏଯାଏଁ ଆସିନି I ବାଧ୍ୟ ହେଇ ମୋବାଇଲ ରେ ତାଙ୍କ ପ୍ରିୟ ଚାନେଲ ଗୁଡିକ ଫେସବୁକ ରେ ଖୋଲିବା ମାତ୍ରେ ଦେଖିବାକୁ ପାଇଲେ ରାଜଧାନୀ ରେ ପ୍ରବଳ ବର୍ଷା ରେ ଜୟଦେବ ବିହାର ରୁ ଭାସିଯାଉଥିବା ବେଳେ 20ଉଦ୍ଧାର,

ନୟାପଲ୍ଲୀ ରେ ବସ ସହିତ ଅସଂଖ୍ୟ ଗାଡି ଭାସିଗଲା ,

ପୁରୀର ବଡ଼ଦାଣ୍ଡରେ 4ଫୁଟର ପାଣି I ତାଯୁବ ହେଇଯାଉଥାନ୍ତି ସ୍ୱାଇଁ ବାବୁ I ଏ ଆଖି କଣ ନଦେଖିଲା ରାଜଧାନୀର ଦୀର୍ଘ 40 ବର୍ଷର ରହଣି ରେ ସେ ଏକଥା ଶୁଣିନଥିଲେ ,ଆଜି ଦେଖିବାକୁ ପଡୁଛି I

ମନେ ପଡୁଥିଲା ପିଲାଦିନ କଥା ,ଛୋଟଟେ ହେଇଥିଲେ ଗାଁ ରେ ବନ୍ୟା ଆସିଲେ ବାପା ମା ଙ୍କ ସହିତ ସେ ଦୃଶ୍ୟ କୁ ଅତି ପାଖରୁ ଦେଖିବାକୁ ଯାଉଥିଲେ I କେଜାଣି ଆଜି କାହିଁକି ସେ ସ୍ମୃତି ସବୁ ତାଜା ହେଇଉଠୁଥିଲା ସ୍ୱାଇଁ ବାବୁଙ୍କର I
ବହୁତ ବର୍ଷ ହେବ ଗାଁ କୁ ଯାଇନଥିଲେ ,ପାଖାପାଖି 40ବର୍ଷ ହେଇଯିବ I ସତ କହିବାକୁ ଗଲେ ଗାଁ କୁ ଯିବାର ଅଭିଳାଷ ହିଁ ଆଉ ନଥିଲା I ସେ ନିପଟ ମଫସଲି ଗାଁ କୁ ନା ସିଟି ବସ ଥିଲା ନା ଟ୍ରେନ ଚାଲୁଥିଲା I ଗାଁ ବସଷ୍ଟାଣ୍ଡ ଠାରୁ ଦେଢ଼ କିଲୋମିଟର ପାଦଚଲା ନାଲିଆ ମହରମ ରାସ୍ତାରେ ଗଲେ ଗାଁ ପଡୁଥିଲା I

ରାଜଧାନୀ ଭୁବନେଶ୍ୱର ରୁ 120 କିଲୋମିଟର I ପାଠପଢା ସମାପ୍ତ ପରେ ସେକ୍ରେଟେରିଏଟ ରେ କିରାଣୀ ଚାକିରୀ ଖଣ୍ଡେ ପାଇବା ପରେ ଗମନା ଗମନ ର ସୁବିଧା ନଥିବାରୁ ରାଜଧାନୀ ଭୁବନେଶ୍ୱର ରେ ଘର ଭଡା ନେଇ ରହୁଥିଲେ I ପରେ ରାଜଧାନୀ ରେ ବାହାଘର ପରେ ସରକାରୀ କ୍ୱାର୍ଟର ମିଳିବାରୁ ସପତ୍ନୀକ ରାଜଧାନୀ ରେ ରହିଆସୁଥିଲେ I ୟା ଭିତରେ ଆଉ ଗାଁ କୁ ଯିବାକୁ ଫୁରସତ ମିଳେନି I କ୍ରମେ ସ୍ୱାଇଁ ବାବୁଙ୍କ ସଂସାର ଗଢି ଉଠିଲା ଏବଂ ପିଲାମାନଙ୍କର ଉଞ୍ଚ ଶିକ୍ଷା ଏହି ରାଜଧାନୀରେ ହେଲା I ଗାଁ ନା ଶୁଣିଲେ ନାକ ଟେକୁଥିଲେ ଆଜି ର ସଭ୍ୟ ଶିକ୍ଷିତ ସ୍ୱାଇଁ ବାବୁଙ୍କ ପିଲାମାନେ I ଛି ସେଠି କଣ ରହିହୁଏ ,ମାଟି ପାଣି ପଙ୍କ କାଦୁଅ .ଭାରି କଦର୍ଯ୍ୟ ସେ ପରିବେଶ I

20 ବର୍ଷ ତଳର କଥା ଗାଁ ରେ ମା ର ଶେଷ ସମୟରେ ଅନ୍ତିମ କାର୍ଯ୍ୟ ସାରିବା ପରେ ଧର୍ମପତ୍ନୀ ଙ୍କ ପ୍ରେରଣାରେ ଗାଁ ର ସେହି ଜାଗା ବାଡ଼ି ସବୁ ବିକି ଦେଇ ,ଚାକିରିର ଜିପିଏଫ ଉଠାଇ ଭୁବନେଶ୍ୱର ରେ ନିଜର ଜାଗା ଖଣ୍ଡେ କିଣି ଘର ତୋଳିଥିଲେ ସ୍ୱାଇଁ ବାବୁ I

ବାସ ତା ପରଠାରୁ ଆଉ ଗାଁ କୁ ଯାଇନାହାନ୍ତି Iସ୍ୱାଇଁ ବାବୁଙ୍କ ମା କିନ୍ତୁ କହୁଥିଲା ଧନ ରେ ତୋ ଛଡା ମୋର ଆଉ କିଏ ଅଛି ? ତୁ ମତେ ଛାଡିକି ,ଏ ଗାଁ ଛାଡିକି ଭୋବନେଶ୍ୱର ଯାଆନି ,ସେଠି କାଇଁ ଜାଗା କିଣୁଛୁ ଦେଖିବୁ ଦିନ ଆସିବ ସେସବୁ ପାଣିରେ ବୁଡ଼ିଯିବ,ବଡ଼ଦାଣ୍ଡରେ ମୀନ ଖେଳିବ ,

ସହରସବୁ ଧ୍ବଂସ ହେଇଯିବ ,ତୁ ସାଡେ ଜମା ଜାଆନିରେ ଧନ I I”” ହେଇଟି ଶୁଣୁଛ ,ଘର ସାରା ଆଣ୍ଠିଏ ପାଣି ସ୍ତ୍ରୀ ର ଏ ଡାକ ଶୁଣି ପ୍ରକ୍ରୁସ୍ତିତ ହେଲେ ସ୍ୱାଇଁ ବାବୁ Iଛଳ ଛଳ ହେଇଯାଇଥିଲା ଆଖି ,ପାଟିରୁ ବାହାରିପଡିଲା ହଁ ଲୋ ବୋଉ ତୁ ଠିକ କହୁଥିଲୁ ,ଆମେ ଯେତେ ସହରୀ ବୋଲି ଦେଖେଇ ହେଲେ ବି ସେଇ ଗାଁ ରୁ ହିଁ ଆସିଚୁ ,ଗାଁ ର ସ୍ମୃତି ସବୁ ଭୁଲିଯାଇଥିଲୁ ,ଆମେ ଯେତେ ବଦଳିଲେ ବି ପ୍ରକୃତି ପାଖରେ ହାର ମାଇଛୁ ଲୋ ବୋଉ I ସତରେ ମୋ ଗାଁ କେତେ ସୁନ୍ଦର ଥିଲା ,ଆଉ ତୋ କାନି ଧରି ସେ ବନ୍ୟା ଦୃଶ୍ୟ ଦେଖିବା ଆହୁରି ସୁନ୍ଦର ଥିଲା I ଆଜି ତୁ ନାଂହୁ କି ତୋ ସେ ପଣତ ମୋ ପାଖରେ ନାହିଁ କିନ୍ତୁ ସେ ଗାଁ ର ବନ୍ୟା ପୁଣିଥରେ ସହରକୁ ଫେରିଛି I

Leave a Reply

Your email address will not be published. Required fields are marked *