ଜନ୍ମାଷ୍ଟମୀର ଗୁଢ ରହସ୍ୟ,କାହିଁକି ପାଳନ କରାଜାଏ ଜନ୍ମାଷ୍ଟମୀ

“ୟଦା ୟଦାହି ଧର୍ମସ୍ୟ ଗ୍ଲାର୍ନିଭବତି ଭାରତ । ଅଭ୍ୟୁଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍॥” ଯେତେବେଳେ ଧରାପୃଷ୍ଠ ରେ ଅନ୍ୟାୟ ଅନୀତି ବଢି ଯାଇ ପାପୀମାନଙ୍କର ପାଦୁର୍ଭାବ ବଢିଯାଏ ଠିକ ସେହି ସମୟରେ ଭଗବାନ ସ୍ବୟଂ ଧରାପୃଷ୍ଠକୁ ଅବତାର ନେଇ ଆସନ୍ତି।ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । ସବୁ ଅବତାର ମଧ୍ୟରେ ପ୍ରଭୁ ଙ୍କର ଏହି ଅବତାର ସମଗ୍ର ମାନବଜାତି କୁ ବହୁତ ଶିକ୍ଷା ଦିଏ।ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ

କଂସଦ୍ଵାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ ।

ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ଵାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।

ପରବର୍ତ୍ତୀ ସମୟରେ ଶ୍ରୀ କୃଷ୍ଣ କଂସ କୁ ବଧ କରି ମଥୁରା ବାସୀ ଙ୍କୁ ତା ଅତ୍ୟାଚାର ରୁ ମୁକ୍ତ କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିଥାନ୍ତି।ଏହି ଅଵବସର ରେ ଘରେଘରେ ପିଠାପଣା କରି ଅତି ଆନନ୍ଦର ସହ ବାଳଗୋପାଳ ଙ୍କୁ ପୁଜା କରାଯାଏ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି।

ଜ୍ଞାନ ରଞନ ପଣ୍ଡା,କିଶୋରନଗର ,କଟକ

Leave a Comment