ବ୍ରେଟ ଲିଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୦ର ବିଜେତା ହେବ ଏହି ଦଳ

ନୂଆଦିଲ୍ଲୀ, ୦୯/୦୯: ଆଉ ୯ ଦିନ ପରେ ଆରମ୍ଭ ହେବ ବିଶ୍ବର ସବୁଠୁ ଲୋକପ୍ରିୟ ଟି-୨୦ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। କରୋନା କଟକଣା ମଧ୍ୟରେ ବିଦେଶ ମାଟିରେ ଖେଳାଯିବ ଆଇପିଏଲ ୨୦୨୦। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ୟୁଏଇରେ ଅନୁଷ୍ଠିତ ହେବ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ୨୦୨୦ ଆଇପିଏଲ ମହାସମରର ପ୍ରଥମ ମ୍ୟାଚ ଡିଫେଣ୍ଡି ଚମ୍ପିଆନ୍‌ ତଥା ୪ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ୩ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଖେଳାଯିବ।

ଚଳିତବର୍ଷ ଆଇପିଏଲ୍‌ ଟ୍ରଫି କେଉଁ ଦଳ ହାତେଇବ ସେ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି ଆଇପିଏଲ ଟ୍ରଫି କିଏ ହାତେଇବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ୨୦୨୦ ଆଇପିଏଲ ଟ୍ରଫିର ବିଜେତା ହେବା ନେଇ ବ୍ରେଟ ଲି କହିଛନ୍ତି। ସୂଚନାଥାଉକି ଚଳିତ ବର୍ଷ ଆଇପିଏଲ୍‌ ଦୁବାଇରେ ଖେଳାଯିବ।

ବର୍ତ୍ତମାନ ଆଇପିଏଲ୍‌ରେ ହୋଷ୍ଟିଂ କରିବା ପାଇଁ ବ୍ରେଟ୍‌ ଲି ମୁମ୍ବାଇରେ ଆସି ପହଁଞ୍ଚିଛନ୍ତି। ସେ ଏବେ ଆଇସୋଲେସନରେ ଅଛନ୍ତି। ଏହି ସମୟରେ ବ୍ରେଟ ଲି ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନସ୍‌ଙ୍କ ସହ ବ୍ୟସ୍ତ ରହିବା ସହ କିଛି ପ୍ରଶ୍ନର ଉତ୍ତର ରଖିଥିଲେ। ଜଣେ ଫ୍ୟାନ୍‌ ୨୦୨୦ ଆଇପିଏଲ ବିଜେତା କିଏ ହେବ ସେ ନେଇ ପ୍ରଶ୍ନ ପଚାରିଥିଲେ। ଲି ତାଙ୍କ ଉତ୍ତରରେ କହିଥିଲେ ଯେ, କହିବା କଷ୍ଟକର ହେଲେ ଚେନ୍ନାଇ ପ୍ରମୁଖ ଦାବିଦାର ବୋଲି କହିଥିଲେ।

ସୂଚନାଥାଉକି, ୟୁଏଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ ପହଁଞ୍ଚିବା ପରେ ଦଳର ୨ ଖେଳାଳିଙ୍କ ସମେତ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ସମସ୍ତେ ନେଗେଟିଭ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ସିଏସ୍‌କେୁ ପ୍ରାକ୍ଟିସ୍‌ କରିବାକୁ କମ୍‌ ସମୟ ମିଳିଛି। ଅପରପକ୍ଷେ ଦଳର ୨ ଷ୍ଟାର ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂହ ବ୍ୟକ୍ତିଗତ କାରଣରୁ ଚଳିତ ଆଇପିଏଲ୍‌ ସିଜିନରୁ ଓହରି ଯାଇଛନ୍ତି। ଯାହା ଚେନ୍ନାଇ ପାଇଁ ଚିନ୍ତାର କାରଣ।

ଭାରତର ସବୁଠୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ୩ଥରର ଆଇପିଏଲ୍‌ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ସେପ୍ଟମ୍ବର ୧୯ରେ ମଇଦାନକୁ ଓହ୍ଲାଇବ। ଏଥିସହିତ କେକେଆରରେ ସାମିଲ ହୋଇଥିବା ପ୍ୟାଟ୍‌ କମିନସ୍‌ଙ୍କୁ ନେଇ ଫ୍ୟାନ୍‌ ପ୍ରଶ୍ନ ପଚାରିଥିଲେ। କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ କେକେଆର ପକ୍ଷରୁ ଖେଳି ସାରିଥିବା ବ୍ରେଟ ଲି କହିଛନ୍ତି ଯେ କମିନସ୍‌ ଜଣେ ବିଶ୍ବ ସ୍ତରୀୟ ଖେଳାଳି। ଏଥିସହିତ ୨ଥରର ଆଇପିଏଲ୍‌ ବିଜେତା କେକେଆର ଚଳିତ ବର୍ଷ ଆଇପିଏଲର ପ୍ଲେ ଅଫରେ ସ୍ଥାନ ବଜାୟ ରଖିବ ବୋଲି ଲି ଭବିଷ୍ୟବାଣୀ କରିଛନ୍ତି।

Leave a Reply

Your email address will not be published. Required fields are marked *